ପୂର୍ବତଟ ରେଳ ମହାପ୍ରବନ୍ଧକଙ୍କ କଣ୍ଟାବାଞ୍ଜି ଗସ୍ତଉଚ୍ଛେଦ ଦୋକାନୀଙ୍କୁ ବିକଳ୍ପ ଦୋକାନ ସହ ବିକାଶ ପ୍ରକଳ୍ପ ଦାବି

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନର ବିକାଶ କାର୍ଯ୍ୟ ତଦାରଖ ପାଇଁ ପୂର୍ବତଟ ରେଳ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫଙ୍କୱାଲ କଣ୍ଟାବାଞ୍ଜି ଗସ୍ତ କରିଛନ୍ତି। ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ଦିଆଯାଇଛି ଏକାଧିକ ଦାବିପତ୍ର।ରେଳ ଷ୍ଟେସନ ବିକାଶ ପାଇଁ ଉଚ୍ଛେଦ ହୋଇଥିବା ଦୋକାନୀଙ୍କୁ ବିକଳ୍ପ ଦୋକାନ କିମ୍ବା ବ୍ୟବସାୟିକ ସ୍ଥାନ ଆବଣ୍ଟନ କରିବାକୁ ରେଳ ମର୍ଚ୍ଚାଣ୍ଟ ଆସୋସିଏସନ ସଭାପତି ଶେଖ ଅମଜଦ ଦାବି କରିଛି। ଦଶକ ଧରି ଷ୍ଟେସନ ପରିସରରେ ବ୍ୟବସାୟ କରୁଥିବା ଦୋକାନୀମାନେ ୨୦୨୪ ଡିସେମ୍ବର ୨୩ରେ ଦୋକାନ ଖାଲି କରିଥିବାରୁ ଶତାଧିକ ପରିବାର ଜୀବିକା ହରାଇଥିବା ଆସୋସିଏସନ ପକ୍ଷରୁ କୁହାଯାଇଛି।ପ୍ରକୃତ ପ୍ରଭାବିତ ଦୋକାନୀଙ୍କ ଚିହ୍ନଟ ପାଇଁ କମିଟି ଗଠନ, ଷ୍ଟେସନ ପରିସର କିମ୍ବା ନିକଟସ୍ଥ ରେଳ ବ୍ୟବସାୟିକ କମ୍ପ୍ଲେକ୍ସରେ ପ୍ରାଥମିକତା ଭିତ୍ତିରେ ଦୋକାନ ଆବଣ୍ଟନ ଏବଂ ସ୍ୱତନ୍ତ୍ର ପୁନର୍ବାସ ବ୍ୟବସ୍ଥା ଦାବି କରାଯାଇଛି।ଏହାସହ କଣ୍ଟାବାଞ୍ଜିରେ ରେଳ ଜମିରେ କାରଖାନା ସ୍ଥାପନ କରି ସ୍ଥାନୀୟଙ୍କୁ ରୋଜଗାର, ୧୦୦ ଏକର ପମ୍ପୁ ତଲାବର ପୁନରୁଦ୍ଧାର, ୧୦୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେଶାଲିଟି ହସ୍ପିଟାଲ, ଘୋଷିତ ୱାଗନ୍ କାରଖାନାକୁ କାର୍ଯ୍ୟକ୍ଷମ କରିବା ସହ ପୁରୀ ଜଗନ୍ନାଥ ଧାମ ପାଇଁ ଅତିରିକ୍ତ ଟ୍ରେନ୍ ଚଳାଚଳ ଭଳି ଦାବି ମଧ୍ୟ ଉଠିଛି।କଣ୍ଟାବାଞ୍ଜିର ରେଳ ବିକାଶ ସହ ସ୍ଥାନୀୟ ଲୋକଙ୍କ ଜୀବିକା ଓ ରୋଜଗାରକୁ ଗୁରୁତ୍ୱ ଦେଇ ଦାବିଗୁଡ଼ିକ ଶୀଘ୍ର ପୂରଣ କରିବାକୁ ରେଳ ପ୍ରଶାସନ ନିକଟରେ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *