ରାୟଗଡା : ଶିକ୍ଷକତାରୁ ଅବସର ନେବା ପରେ ମଧ୍ୟ ସାରସ୍ୱତ ସାଧନା, କଳାଚର୍ଚ୍ଚା ଓ ସମାଜସେବାକୁ ଜୀବନର ଅଭିନ୍ନ ଅଂଶ କରି ଆଗେଇ ଚାଲିଛନ୍ତି ସାରସ୍ୱତ ସାଧକ ଜୟଦେବ ସିଠ। ରାୟଗଡ଼ା ଜିଲ୍ଲାର ରାଣୀଗୁଡ଼ା ଫାର୍ମ ନିକଟରେ ବାସ କରୁଥିବା ଶ୍ରୀ ସିଠଙ୍କ ଜନ୍ମଭୂମି ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟସ୍ଥ ହରିହରପୁର ହୋଇଥିବା ବେଳେ ରାୟଗଡ଼ ଜିଲ୍ଲା ତାଙ୍କର କର୍ମଭୂମି।ରାୟଗଡ଼ା ଜିଲ୍ଲାର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଶିକ୍ଷକ ଭାବେ କାର୍ଯ୍ୟ କରି ସେ ପ୍ରଧାନଶିକ୍ଷକ ଭାବେ ୨୦୧୯ ଜାନୁଆରୀରେ ଅବସର ଗ୍ରହଣ କରିଥିଲେ। ଶିକ୍ଷକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୨ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଶିକ୍ଷକ ସମ୍ମାନ ପୁରସ୍କାର ଲାଭ କରିଥିଲେ। ଏହାଛଡ଼ା ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସେ ଉତ୍ତମ ଶିକ୍ଷକ ଭାବେ ସମ୍ମାନିତ ହୋଇଛନ୍ତି।ଶିକ୍ଷକତା ସହିତ ଶ୍ରୀ ସିଠ ଜଣେ ସାହିତ୍ୟିକ, ଅଭିନେତା ଓ ସମାଜସେବୀ ଭାବେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଭିନ୍ନ ନାଟକ ଓ ଡ୍ରାମାରେ ଅଭିନୟ କରିବା ସହ ‘ମେରିଆ’ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟି ପ୍ରେକ୍ଷାଳୟ ପ୍ରଦର୍ଶନ ଅପେକ୍ଷାରେ ରହିଛି।

ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଉଲ୍ଲେଖନୀୟ। ତାଙ୍କର ୯ଟି କବିତା ସଂକଳନ ଓ ୨ଟି ଗଳ୍ପ ସଂକଳନ ପ୍ରକାଶିତ ହୋଇସାରିଛି। ଲେଖନୀ ମାଧ୍ୟମରେ ସମାଜ, ସଂସ୍କୃତି ଓ ମାନବୀୟ ମୂଲ୍ୟବୋଧକୁ ଉଜାଗର କରିବା ତାଙ୍କ ସାହିତ୍ୟ ସାଧନାର ମୁଖ୍ୟ ଲକ୍ଷ୍ୟ।ସମାଜସେବା କ୍ଷେତ୍ରରେ ମଧ୍ୟ ଜୟଦେବ ସିଠଙ୍କ କାର୍ଯ୍ୟ ଅନୁକରଣୀୟ। ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ସଂଶ୍ଳିଷ୍ଟ ରହିବା ସହ ସେ ଗ୍ରାମୀଣ ଓ ବନବାସୀ ଅଞ୍ଚଳକୁ ଯାଇ ଅସହାୟ ବୃଦ୍ଧ ଆଦିବାସୀଙ୍କୁ ଛତା, ଅଙ୍ଗବସ୍ତ୍ର, କମ୍ବଳ ଓ ଶୁଖିଲା ଜଳଖିଆ ଆଦି ବଣ୍ଟନ କରୁଛନ୍ତି। ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରି ସେମାନଙ୍କୁ ଶିକ୍ଷା ପ୍ରତି ମଧ୍ୟ ଉତ୍ସାହିତ କରୁଛନ୍ତି।ଏଥିସହ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତି ସଚେତନତା, ଗୋ-ସୁରକ୍ଷା, ନିଶାମୁକ୍ତ ଜୀବନ, ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିଆସୁଛନ୍ତି। ଆଧ୍ୟାତ୍ମିକ ଚେତନାର ପ୍ରସାର ପାଇଁ ହନୁମାନ ଚାଳିଶା ବଣ୍ଟନ ସହ ଲୋକଙ୍କ ମଧ୍ୟରେ ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ଜାଗ୍ରତ କରିବାକୁ ଉଦ୍ୟମ କରୁଛନ୍ତି।ବୟସ ବଢ଼ିଲେ ମଧ୍ୟ ତାଙ୍କର ଉତ୍ସାହ କମିନାହିଁ। ଅବସର ପରେ ମଧ୍ୟ ସାହିତ୍ୟ ସାଧନା, କଳାଚର୍ଚ୍ଚା ଓ ସମାଜସେବାକୁ ସମାନ ଭାବେ ଜାରି ରଖିଛନ୍ତି ଶ୍ରୀ ସିଠ। ଶିକ୍ଷକ, ସାହିତ୍ୟିକ, ଅଭିନେତା ଓ ସମାଜସେବୀ ବହୁମୁଖୀ ପ୍ରତିଭାର ଅଧିକାରୀ ଜୟଦେବ ସିଠଙ୍କ ଜୀବନ ଓ କାର୍ଯ୍ୟ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।


