ସ୍ୱାଧୀନତା ଦିବସରେ ଅସହାୟ ଆଦିବାସୀ ବୃଦ୍ଧ ପିତାମାତାଙ୍କୁ ସହାୟତା, ଯୁବପିଢ଼ିକୁ ସଚେତନତାର ବାର୍ତ୍ତା

ରାୟଗଡ଼: (ଏମ୍‌ଏମ୍‌ଜି ଖବର )ପବିତ୍ର ୮୦ତମ ସ୍ୱାଧୀନତା ଦିବସ ଅବସରରେ ରାୟଗଡ଼ ବ୍ଲକ୍‌ ଅନ୍ତର୍ଗତ କୁଲି ପଞ୍ଚାୟତର ଉତୁକାପାଡୁ ଗ୍ରାମରେ ଏକ ଜନସେବା ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅବସରପ୍ରାପ୍ତ ଶିକ୍ଷକ ଜୟଦେବ ସିଠଙ୍କ ତତ୍ତ୍ୱାବଧାନ ଓ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅସହାୟ ବୃଦ୍ଧ ଆଦିବାସୀ ପିତାମାତାଙ୍କୁ ଛତା, ଗାମୁଛା ଓ ଶୁଖିଲା ଜଳଖିଆ ବଣ୍ଟନ କରାଯାଇଥିଲା। ଏଥିସହ ଯୁବପିଢ଼ିଙ୍କ ମଧ୍ୟରେ ହନୁମାନ ଚାଳିଶା ଓ ଭାରତମାତାଙ୍କ ଫଟୋ ବଣ୍ଟନ କରାଯାଇଥିଲା।କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ହିନ୍ଦୁ ପରିଷଦର ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତ୍ତା ଅଶୋକ ମହାରଣା, ଅଶୋକ ଶତପଥୀ, ତ୍ରିଲୋଚନ ମହାନ୍ତି, ସୀମାଞ୍ଚଳ ପାତ୍ର ଓ ଜିତୁ ଗଉଡ଼ ସହଯୋଗ କରିଥିଲେ। ସେମାନେ ସନାତନ ଧର୍ମର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିବା ସହ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ନିଶା ନିବାରଣ ଦିଗରେ ଯୁବପିଢ଼ିଙ୍କୁ ମାର୍ଗଦର୍ଶନ କରିଥିଲେ।

ପରିଷଦ ସଦସ୍ୟ ଅଶୋକ ଶତପଥୀ କାହାଣୀ ମାଧ୍ୟମରେ ବଡ଼ମାନଙ୍କ ଉପଦେଶ ମାନିବା, ସେମାନଙ୍କ ପ୍ରତି ସମ୍ମାନ ଓ ଭକ୍ତିଭାବ ରଖିବା ସହ ବୃଦ୍ଧ ପିତାମାତାଙ୍କୁ ଅବହେଳା ନକରିବା ପାଇଁ ପରାମର୍ଶ ଦେଇଥିଲେ। ବରିଷ୍ଠ ସଦସ୍ୟ ଅଶୋକ ମହାରଣାଙ୍କ ମାର୍ଗଦର୍ଶନ ଓ ପୃଷ୍ଠପୋଷକତାରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।ଅନ୍ୟତମ ଅତିଥି ଭାବେ କବି ଓ ଗାଳ୍ପିକ ଡ. ରତି ରଞ୍ଜନ ଦାଶ ଯୋଗଦେଇ ଉପସ୍ଥିତ ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କୁ ସମାଜ ସୁଧାର ଓ ସଚେତନତା ସମ୍ପର୍କିତ ମୂଲ୍ୟବାନ ଆଲୋଚନା କରିଥିଲେ। ଗ୍ରାମର ଅଙ୍ଗନବାଡ଼ି କର୍ମୀ ଜ୍ୟୋତି ନାୟକ ମଧ୍ୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସହାୟତା ସମ୍ପର୍କରେ ବୃଦ୍ଧ ପିତାମାତାଙ୍କୁ ବୁଝାଇବା ସହ ପିଲାମାନଙ୍କୁ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମରେ ଗ୍ରାମର ବହୁ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ସହଯୋଗ କରିବା ସହ ଏଭଳି ସେବାମୂଳକ କାର୍ଯ୍ୟକ୍ରମ ପାଇଁ ଖୁସି ପ୍ରକାଶ କରିଥିଲେ। ଭବିଷ୍ୟତରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ପୁନର୍ବାର ଆୟୋଜନ କରିବାକୁ ସେମାନେ ଅନୁରୋଧ କରିଥିଲେ।

ଜୟଦେବ ସିଠଙ୍କ ଏହି ଉଦ୍ୟମକୁ ଅନ୍ତର୍ଜାତୀୟ ହିନ୍ଦୁ ପରିଷଦର କର୍ମୀମାନେ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ଏଭଳି ଜନସେବା ଓ ସଚେତନତାମୂଳକ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଗ୍ରାମୀଣ ଅଞ୍ଚଳରେ ନିୟମିତ ଭାବେ ଜନସଚେତନତା କାର୍ଯ୍ୟକ୍ରମ ହେଲେ ସାମାଜିକ ସମସ୍ୟାଗୁଡ଼ିକ ହ୍ରାସ ପାଇବା ସହ ଲୋକଙ୍କ ମଧ୍ୟରେ ନିଜ ସଂସ୍କୃତି ଓ ପରମ୍ପରା ପ୍ରତି ସଚେତନତା ବଢ଼ିବ ବୋଲି ସଦସ୍ୟମାନେ ମତ ପ୍ରକାଶ କରିଥିଲେ।ଶେଷରେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ସୁବାସ ଚନ୍ଦ୍ର ଦାଶ ମୂଲ୍ୟବାନ ବକ୍ତବ୍ୟ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ କାର୍ଯ୍ୟକ୍ରମର ସମାପନ ହୋଇଥିଲା।

Leave a Reply

Your email address will not be published. Required fields are marked *