ନୃତ୍ୟଗୀତରେ ଝୁମିଲା ଜିସିଡି ପଡ଼ିଆ ରାୟଗଡ଼ାରେ ଭବ୍ୟ ଭାବେ ପାଳିତ ହେଲା ବିଶ୍ୱ ଆଦିବାସୀ ଦିବସ

oplus_0

ରାୟଗଡ଼ା: ରାୟଗଡ଼ାରେ ଭବ୍ୟ ଓ ନିଆରା ଢଙ୍ଗରେ ପାଳିତ ହୋଇଛି ବିଶ୍ୱ ଆଦିବାସୀ ଦିବସ–୨୦୨୬। ଜିଲ୍ଲା ଆଦିବାସୀ ସମାଜ ପକ୍ଷରୁ ସଦର ଜିସିଡି ପଡ଼ିଆଠାରେ ଆୟୋଜିତ ଏହି ଉତ୍ସବରେ ଆଦିବାସୀ ସମାଜର ଅଧିକାର, ଅସ୍ତିତ୍ୱ, ସଂସ୍କୃତି, ପରମ୍ପରା ଓ ଏକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଆଦିବାସୀ ପ୍ରଥମେ ସହରର ବସ୍‌ଷ୍ଟାଣ୍ଡ ନିକଟରେ ଏକତ୍ରିତ ହୋଇଥିଲେ। ସେଠାରେ ଡ଼ଃ . ଭୀମରାଓ ଆମ୍ବେଦକର  ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା ପେଣ୍ଡାଲ ନିକଟରେ ପହଞ୍ଚିବା ପରେ ଆଦିବାସୀ ପରମ୍ପରା ଅନୁଯାୟୀ ଭୂମିପୂଜା କରାଯାଇଥିଲା।କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ କାଡ୍ରାକା ଆପ୍ପାଲାସ୍ୱାମୀ ମୁଖ୍ୟ ଅତିଥି ଭାବେଯୋଗଦେଇଥିଲେ।

ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନୁସୟା ମାଝୀ , ଉପାଧ୍ୟକ୍ଷା ମଞ୍ଜୁଳା ମିନିଆକା, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗୋ, ପୂର୍ବତନ ଉପଜିଲ୍ଲାପାଳ ଭୀମସେନ ଶବର,ପୂର୍ବତନ ଲୋକସଭା ସାଂସଦ ଶ୍ରୀ ଝିନା ହିକକା,ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ OAS (SS) ଗୋପୀନାଥ ସାରାକା ଯୋଗଦେଇ ଆଦିବାସୀ ସମାଜର ଅଧିକାର, ଉନ୍ନତି, ସାମାଜିକ ସଶକ୍ତିକରଣ ଓ ଯୁବପିଢ଼ିର ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ। ଆଦିବାସୀଙ୍କ ପାରମ୍ପରିକ କଳା, ସଂସ୍କୃତି ଓ ପରମ୍ପରାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ଯୁବପିଢ଼ିର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ।

ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ, ଗୀତ ଓ ବିଭିନ୍ନ ସାଂସ୍କୃତିକ ପରିବେଷଣ। ନୃତ୍ୟଗୀତରେ ଜିସିଡି ପଡ଼ିଆ ଉତ୍ସବମୁଖର ହୋଇଉଠିଥିଲା। ଏହି ଅବସରରେ କ୍ରୀଡ଼ା, ସମାଜସେବା, ମାନବିକତା ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ପ୍ରତିଭାବାନ ବ୍ୟକ୍ତିଙ୍କ ସମେତ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମର ଆବାହକ ଭାବେ ଲେଲି ମାଝୀ, କାର୍ଯ୍ୟକାରୀ ସଭାପତି ଦୁର୍ଗାଚରଣ ମାଣ୍ଡାଙ୍ଗୀ ଓ ଅର୍ଥ ପରିଚାଳନା ଦାୟିତ୍ୱରେ ବସନ୍ତ କୁମାର ପେଦେଣ୍ଟି,ଶ୍ରୀ ଗଙ୍ଗାଧର ପୁଆଲା,ଶ୍ରୀ ଚକ୍ରଧର ବିଡ଼ିକା,ରହିଥିଲେ। ମଞ୍ଚ, ଲାଇଟ୍‌, ସାଉଣ୍ଡ ଓ ଡେକୋରେସନ୍‌ ଦାୟିତ୍ୱ ତପନ କୁମାର ପେଦେଣ୍ଟି, ଅତିଥି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ହରପ୍ରସାଦ ହେପୃକା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ବିଜୟ କୁମାର ମେଲାକା କରିଥିଲେ।

ଆୟୋଜକମାନଙ୍କ ସୁଚାରୁ ପରିଚାଳନା ଓ ସମସ୍ତଙ୍କ ସହଯୋଗରେ ବିଶ୍ୱ ଆଦିବାସୀ ଦିବସର ଏହି ଆୟୋଜନ ସଫଳତାର ସହ ସମ୍ପନ୍ନ ହୋଇଥିଲା। ରାୟଗଡ଼ାର ଆଦିବାସୀ ଏକତା, ସମୃଦ୍ଧ ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ଏହି ଉତ୍ସବ ଏକ ଭବ୍ୟ ପ୍ରତିଛବି ପ୍ରଦର୍ଶନ କରିଥିଲା।

Leave a Reply

Your email address will not be published. Required fields are marked *