ରାୟଗଡ଼ା: ଜିଲ୍ଲାର ୟେଦୁ ସାହି ଅଞ୍ଚଳରେ ଭୋଗି ଉତ୍ସବ ପାଳନ ସମୟରେ ଏକ ଦୁର୍ଘଟଣା ଘଟିଛି। ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ଭୋଗି ପାଳନ ପାଇଁ ବାଣ ତିଆରି କରୁଥିବା ବେଳେ ହଠାତ୍ ବିସ୍ଫୋରଣ ଘଟି, ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ଆହତମାନଙ୍କୁ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କ ମଧ୍ୟରୁ ଦୁଇ ଜଣ ୧୧ ବର୍ଷ ବୟସର ଶିଶୁ ଥିବା ଜଣାପଡ଼ିଛି। ଚାରି ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଉଲ୍ଲେଖନୀୟ ଯେ, ଦକ୍ଷିଣ ଓଡ଼ିଶାରେ, ବିଶେଷକରି ଆନ୍ଧ୍ର ସୀମାନ୍ତ ଜିଲ୍ଲାଗୁଡ଼ିକରେ ମକର ସଂକ୍ରାନ୍ତିକୁ ପୋଙ୍ଗଲ ପର୍ବ ଭାବେ ପାଳନ କରାଯାଏ। ସଂକ୍ରାନ୍ତିର ପୂର୍ବଦିନ କାଠ ଓ ଘସି ଜାଳି ‘ଭୋଗି’ ପାଳନ କରାଯାଏ। ଏହି ଉତ୍ସବ ଅବସରରେ ୟେଦୁ ସାହିର କିଛି ଯୁବକ ବାଣ ତିଆରି କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।








