ରାୟଗଡ଼ାରୁ ଏକ ଅତ୍ୟନ୍ତ ଦୁଃଖଦ ଓ ମର୍ମାନ୍ତିକ ଖବର ସାମ୍ନାକୁ ଆସିଛି। ସଡ଼କ ଦୁର୍ଘଟଣାରେ ଜଣେ କର୍ତ୍ତବ୍ୟନିଷ୍ଠ ରେଞ୍ଜରଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତକ ହେଲେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେଞ୍ଜ ରେଞ୍ଜର ଚନ୍ଦନ ଗମାଙ୍ଗ।ସୂଚନା ଅନୁସାରେ, ଗତକାଲି ରାତିରେ ରେଞ୍ଜର ଚନ୍ଦନ ଗମାଙ୍ଗ ରାୟଗଡ଼ାରୁ ନିଜ କାର୍ଯ୍ୟସ୍ଥଳ କଲ୍ୟାଣସିଂହପୁରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଗାଡ଼ିଶେଷଖାଲ ପଞ୍ଚାୟତ ଅନ୍ତର୍ଗତ ରାମପୁର ନିକଟରେ ତାଙ୍କ କାର୍ ନିୟନ୍ତ୍ରଣ ହରାଇ ଏକ ଗଛକୁ ଜୋରରେ ଧକ୍କା ଦେଇଥିଲା।


ଦୁର୍ଘଟଣା ସମୟରେ ରେଞ୍ଜର ନିଜେ ଗାଡ଼ି ଚଲାଉଥିବା ବେଳେ, ଧକ୍କା ଏତେ ଭୟଙ୍କର ଥିଲା ଯେ ସେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାର ଖବର ପାଇ ତୁରନ୍ତ ଚାନ୍ଦିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଅବସ୍ଥାରେ ରେଞ୍ଜରଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ।ହେଲେ ଦୁଃଖର ବିଷୟ, ଚିକିତ୍ସା ସମୟରେ ଡାକ୍ତରମାନେ ରେଞ୍ଜର ଚନ୍ଦନ ଗମାଙ୍ଗଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଅକାଳ ବିୟୋଗରେ ପରିବାରବର୍ଗ ସହିତ ସହକର୍ମୀ ଓ ସମଗ୍ର ବନ ବିଭାଗ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି।


ଘଟଣା ପରେ ପୋଲିସ ପକ୍ଷରୁ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରାଯାଇଛି। ଅତି ଅନ୍ଧାର କିମ୍ବା ଅନ୍ୟ କୌଣସି କାରଣରୁ ଏହି ଦୁର୍ଘଟଣା ଘଟିଛି କି, ସେନେଇ ଖୋଳତାଡ଼ ଚାଲିଛି।ଜଣେ ସତ୍ୟନିଷ୍ଠ, କର୍ମଠ ଓ ସାଧାରଣ ଲୋକଙ୍କ ମଧ୍ୟରେ ଜଣେ ଲୋକପ୍ରିୟ ଅଧିକାରୀଙ୍କ ଏଭଳି ଅକାଳ ମୃତ୍ୟୁ ସମଗ୍ର ଅଞ୍ଚଳକୁ ମର୍ମାହତ କରିଛି। ସବୁଠାରେ ଶୋକର ଛାୟା ଛାଇଯାଇଛି।









