ରାୟଗଡ଼ା: ସାମ୍ବାଦିକ ଜଗତ ପାଇଁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଖବର। ପ୍ରିୟ ଖବରର ରାୟଗଡ଼ା ଜିଲ୍ଲା ପ୍ରତିନିଧି ତଥା ଜଣେ ନିଷ୍ଠାବାନ ସାମ୍ବାଦିକ ଆଶୁତୋଷ ପଟନାୟକଙ୍କର ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୧୬.୦୧ ସନ୍ଧ୍ୟା ପ୍ରାୟ ୪ଟା ସମୟରେ ହଠାତ୍ ତାଙ୍କର ଦେହ ଅସୁସ୍ଥ ହୋଇପଡ଼ିଥିଲା। ପରିବାର ସଦସ୍ୟମାନେ ତୁରନ୍ତ ତାଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି।ତାଙ୍କର ଅକାଳ ବିୟୋଗରେ ରାୟଗଡ଼ା ଜିଲ୍ଲା ସହ ସମଗ୍ର ସାମ୍ବାଦିକ ମହଳରେ ଶୋକର ଛାୟା ଛାଇଯାଇଛି। ସତ୍ୟ, ନିଷ୍ଠା ଓ ଦାୟିତ୍ୱବୋଧ ସହ ସାମ୍ବାଦିକତାକୁ ପାଳନ କରୁଥିବା ଆଶୁତୋଷ ପଟନାୟକ ଜିଲ୍ଲାର ଅନେକ ସମସ୍ୟାକୁ ସାଧାରଣ ଲୋକ ଓ ପ୍ରଶାସନ ସମ୍ମୁଖରେ ଉଠାଇ ଧରିଥିଲେ।ତାଙ୍କର ଦେହାନ୍ତ ଖବର ପାଇ ସହକର୍ମୀ ସାମ୍ବାଦିକ, ସାମାଜିକ କର୍ମୀ, ରାଜନୈତିକ ନେତୃତ୍ୱ ଓ ସାଧାରଣ ନାଗରିକମାନେ ଗଭୀର ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ଆଶୁତୋଷ ପଟନାୟକଙ୍କ ପରଲୋକ ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି ।









