ରାୟଗଡ / କଲ୍ୟାଣସିଂପୁର, ୧୯.୧.୨୦୨୬:ରାୟଗଡ ଜିଲ୍ଲା ପ୍ରଶାସନର ଆୟୋଜନରେ କଲ୍ୟାଣସିଂପୁର ବ୍ଲକ ସଦର ମହକୁମାସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦଭାବନା ସଭାଗୃହରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଉପଜିଲ୍ଲାପାଳ ରାୟଗଡ ଶ୍ରୀ ରମେଶ କୁମାର ଜେନା, ପ୍ରକଳ୍ପ ପ୍ରଶାସକ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ, ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବି. ସରୋଜିନୀ ଦେବୀ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ।ଏହି ଅଭିଯୋଗ ଶିବିରରେ ମୋଟ ୬୩ଟି ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିଥିଲେ। ସେଥିମଧ୍ୟରୁ ୩୨ଟି ବ୍ୟକ୍ତିଗତ ଅଭିଯୋଗ ଓ ୩୦ଟି ଗ୍ରାମବାସୀଙ୍କ ସାମୂହିକ ଅଭିଯୋଗ ଥିଲା। ବିଭିନ୍ନ ପ୍ରକାର ସମସ୍ୟା ସମ୍ପର୍କିତ ଅଭିଯୋଗ ଏଠାରେ ପଞ୍ଜିକୃତ ହୋଇଥିଲା।

ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଜଣେ ଅଭିଯୋଗକାରୀଙ୍କୁ ଜିଲ୍ଲାପାଳ ରେଡ୍କ୍ରସ ପାଣ୍ଠିରୁ ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଅଭିଯୋଗଗୁଡ଼ିକ ଗ୍ରହଣ କରିବା ପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସତ୍ୱର ସମାଧାନ କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଏହି ଅଭିଯୋଗ ଶିବିରରେ କଲ୍ୟାଣସିଂପୁର ତହସିଲଦାର ସହ ଜିଲ୍ଲା ସ୍ତରୀୟ ଅନେକ ଅଧିକାରୀ ଉପସ୍ଥିତ ଥିଲେ। ଶିବିରଟିକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ମନୀଷା ଦାସ ଓ ସହକାରୀ ଜିଲ୍ଲାପାଳ (ଗ୍ରୀଭାନ୍ସ) ଶ୍ରୀ ଶିବ ପ୍ରସାଦ ସାହୁ ପରିଚାଳନା କରିଥିଲେ।








