ରାୟଗଡ଼ାର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ କମାଲ, ସ୍ଥାନୀୟ କଳାକାରଙ୍କ ଅଭିନୟରେ ମନ ଜିତୁଛି ଚଳଚ୍ଚିତ୍ରଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିଛି। ଓଡ଼ିଆ ଚଳଚ୍ଚିତ୍ର ‘ଅପେକ୍ଷା’ ସାରା ଓଡ଼ିଶାର ପ୍ରେକ୍ଷାଳୟରେ ରୂପେଲି ପରଦାରେ ସଫଳତାର ସହିତ ମୁକ୍ତିଲାଭ କରିଛି। ଏହି ଅବସରରେ ରାୟଗଡ଼ା ସହରର ରିଲାଏନ୍ସ କମ୍ପ୍ଲେକ୍ସରେ ଅବସ୍ଥିତ ଭି.କେ. ସେଣ୍ଟ୍ରାଲ ସିନେମା ହଲ୍ରେ ଚଳଚ୍ଚିତ୍ରର ଭବ୍ୟ ପ୍ରିମିୟର ସୋ ଆୟୋଜିତ ହୋଇଯାଇଛି।ରାୟଗଡ଼ାର ଡ଼ା. କେ. ତମନ୍ନାଙ୍କ ଦ୍ୱାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରର କାହାଣୀ ଲେଖନ ସହିତ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଆନନ୍ଦ କୁମାର। ପ୍ରିମିୟର ସୋ ଅବସରରେ ଭୁବନେଶ୍ୱରରୁ ଅଭିନେତା ପ୍ରଦୀପ ଦେବତା, ଶକ୍ତି ବରାଳ, ହିରୋ ସାର୍ଥକ, ହିରୋଇନ୍ ଶୁଭାଙ୍ଗୀ, ଅଭିନେତ୍ରୀ ଅଲିଭା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

ଚଳଚ୍ଚିତ୍ରର ସଂଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାଶ କରିଥିବାବେଳେ, ସଂଳାପ ଲେଖିଛନ୍ତି ଆଶୁତୋଷ ବାରିକ। ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀ। ଭେଟେରିଆନ୍ କଳାକାର ଚୌଧୁରୀ ବିକାଶ ଦାସ, ପୁଷ୍ପା ପଣ୍ଡା ଓ ଗୁଡୁଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କ ମନ ଜିତିଛି।ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ଚିରାଗ, ଇପ୍ସିତା ସାହୁ ଓ ଉମାକାନ୍ତ ବାରିକ।ଏହାସହ ରାୟଗଡ଼ା ଜିଲ୍ଲାର ଅନେକ ସୁନାମଧନ୍ୟ ସ୍ଥାନୀୟ କଳାକାର ଯଥା— ପ୍ରଭାକର ମିଶ୍ର (ଟୁନା ଟନ୍ ଟନ୍), ସନ୍ତୋଷ କୁମାର ବଛା (ସୁପ୍ରିତ୍), କାଳୀ ରଥ (କୁନା), ଜି. ମହେଶ ରାଓ, ରାଜ୍ ଓ ମନିଷା ମଧ୍ୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।ପ୍ରିମିୟର ସୋ ଦେଖିବାକୁ ବହୁ ସଂଖ୍ୟାରେ ପ୍ରଶଂସକ ଯୋଗଦେଇଥିବାବେଳେ, ପ୍ରଥମ ଦିନର ସମସ୍ତ ସୋ ହାଉସଫୁଲ ହୋଇଥିବା ଦେଖାଯାଇଛି।








