ରାୟଗଡ଼ା, ୦୭.0୨. ୨୬ ଓଡ଼ିଶାରେ ମାଓବାଦୀ କାର୍ଯ୍ୟକଳାପକୁ ନେଇ ଏକ ବଡ଼ ପରିବର୍ତ୍ତନ ଦେଖାଯାଇଛି । ରାୟଗଡ଼ା ପୁଲିସ୍ ସମ୍ମୁଖରେ ନିଷିଦ୍ଧ ସିପିଆଇ (ମାଓବାଦୀ) ସଂଗଠନର ୧୫ ଜଣ ଶୀର୍ଷ ଓ ସକ୍ରିୟ କ୍ୟାଡର୍ ଆତ୍ମସମର୍ପଣ କରିଛନ୍ତି । ଏହି ଘଟଣାକୁ ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ଭାବେ ଦେଖାଯାଉଛି ।ଆତ୍ମସମର୍ପଣ କରିଥିବା କ୍ୟାଡର୍ମାନଙ୍କ ମଧ୍ୟରେ୨ ଜଣ ରାଜ୍ୟ କମିଟି ସଦସ୍ୟ (SCM),୧ ଜଣ ଡିଭିଜନାଲ୍ କମିଟି ସଦସ୍ୟ(DVCM),୫ ଜଣ ଏରିଆ କମିଟି ସଦସ୍ୟ (ACM),୭ ଜଣ ପାର୍ଟି ସଦସ୍ୟ (PM)ରହିଛନ୍ତି । ସେମାନେ ଦୀର୍ଘ ସମୟ ଧରି ଓଡ଼ିଶା–ଛତିଶଗଡ଼ ସୀମା ଅଞ୍ଚଳରେ ସଂଗଠନର କାର୍ଯ୍ୟକଳାପ ଚାଲାଇଆସୁଥିଲେ ।ପୁଲିସ୍ ସୂଚନା ଅନୁଯାୟୀ, ଆତ୍ମସମର୍ପଣ ସମୟରେ ମାଓବାଦୀମାନେ ବହୁ ପରିମାଣର ଆଧୁନିକ ଅସ୍ତ୍ର ଓ ଗୁଳି-ବାରୁଦ ଜମା କରିଛନ୍ତି । ଏଥିରେ AK-47 ରାଇଫଲ୍, SLR, INSAS ରାଇଫଲ୍, କାର୍ବାଇନ୍, ସହ ବହୁ ପରିମାଣର ଗୁଳି ଓ ମ୍ୟାଗାଜିନ୍ ରହିଛି ।

ଆତ୍ମସମର୍ପଣ କରିଥିବାମାନଙ୍କ ମଧ୍ୟରୁ ଜଗତସିଂହପୁର ଜିଲ୍ଲାର ନିରଞ୍ଜନ ରାଉତ ଓରଫ ‘ନିଖିଲ’ ଜଣେ ଗୁରୁତ୍ୱପୂର୍ଣ୍ଣ ନେତା ଭାବେ ପରିଚିତ । ସେ ଦୀର୍ଘ ବର୍ଷ ଧରି ମାଓବାଦୀ ସଂଗଠନର ଶୀର୍ଷ ସ୍ତରରେ ରହି ବିଭିନ୍ନ ଅଞ୍ଚଳରେ ସଂଗଠନକୁ ନେତୃତ୍ୱ ଦେଇଆସୁଥିଲେ । ତାଙ୍କ ବିରୁଦ୍ଧରେ ଅନେକ ଗୁରୁତର ଆପରାଧିକ ମାମଲା ରହିଥିବା ପୁଲିସ୍ କହିଛି ।ପୁଲିସ୍ କହିଛି ଯେ, ସୁରକ୍ଷା ବଳଙ୍କ ଲଗାତାର ଚାପ, ସଂଗଠନର ଆଭ୍ୟନ୍ତରୀଣ ଦୁର୍ବଳତା, ସ୍ଥାନୀୟ ସମର୍ଥନର ହ୍ରାସ ଏବଂ ସରକାରଙ୍କ ନୂତନ ଆତ୍ମସମର୍ପଣ-ପୁନର୍ବାସ ନୀତିର ପ୍ରଭାବରେ ଏହି କ୍ୟାଡର୍ମାନେ ହିଂସାର ପଥ ଛାଡ଼ି ସମାଜର ମୂଳ ଧାରାକୁ ଫେରିଆସିଛନ୍ତି ।

ରାଜ୍ୟ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ, ଆତ୍ମସମର୍ପଣ କରିଥିବା କ୍ୟାଡର୍ମାନଙ୍କୁ ଆର୍ଥିକ ପୁରସ୍କାର, ଘର, କୌଶଳ ଶିକ୍ଷା, ମାସିକ ଭତ୍ତା, ଚିକିତ୍ସା ସୁବିଧା ଓ ରାସନ୍ ସହାୟତା ଯୋଗାଇ ଦିଆଯିବ ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।ଓଡ଼ିଶା ପୁଲିସ୍ ଅନ୍ୟ ମାଓବାଦୀ କ୍ୟାଡର୍ମାନଙ୍କୁ ମଧ୍ୟ ହିଂସାର ପଥ ତ୍ୟାଗ କରି ସମାଜର ମୂଳ ଧାରାକୁ ଫେରିବାକୁ ଆହ୍ୱାନ କରିଛି । ଏହି ଆତ୍ମସମର୍ପଣ ଘଟଣା ଓଡ଼ିଶାରେ ଶାନ୍ତି ଓ ଉନ୍ନତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି ।








