ରାୟଗଡା, ୧୩/୦୧ /୨୬ ପାଣି ସଂରକ୍ଷଣ, ସୁଚିତ ପାଣି ବ୍ୟବହାର ଓ ସ୍ଥାନୀୟ ସ୍ତରରେ ପାଣି ପରିଚାଳନାକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାୟଗଡା ଜିଲ୍ଲାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ–୨୦୨୬ ଭବ୍ୟ ଭାବରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ସରସ୍ୱତୀ ମାଝୀ ଯୋଗଦେଇ ଚାଷୀମାନଙ୍କ ସମସ୍ୟା ସମାଧାନ ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ଓ ପାଣି ପଞ୍ଚାୟତ ସଦସ୍ୟମାନଙ୍କ ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ସମୟମତେ ସିଚାଇ ପାଣି ଯୋଗାଣ, ନାଳ ଓ କ୍ୟାନାଲର ସଠିକ୍ ରକ୍ଷାଣାବେକ୍ଷଣ ସହ ପାଣିର ସମବଣ୍ଟନ ସୁନିଶ୍ଚିତ ହେଲେ ଚାଷୀମାନଙ୍କ ଅନେକ ସମସ୍ୟା ସ୍ୱତଃସ୍ଫୁର୍ତ୍ତ ଭାବେ ଦୂର ହୋଇପାରିବ ବୋଲି ସେ କହିଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏସ୍.କେ. ହେଶାନ, ଅଧିକ୍ଷଣ ଯନ୍ତ୍ରୀ (କ୍ଷୁଦ୍ର ଜଳସେଚନ) ଶ୍ରୀ ଜଗନ୍ନାଥ ମଲ୍ଲିକ, ନିର୍ବାହୀ ଯନ୍ତ୍ରୀ (ବୃହତ ଉଠା ଜଳସେଚନ), ପାରଳାଖେମୁଣ୍ଡିର ଶ୍ରୀ ସଯୋଷ ନାୟକ, ଓ.ସି.ସି.ର ବରିଷ୍ଠ ପରିଚାଳକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସାଥୁଆ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦୁର୍ଯ୍ୟଧନ ଜାନି, ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଓ.ସି.ସି. ପରିଚାଳକ ଶ୍ରୀ ଯଜ୍ଞ ପ୍ରସାଦ ପ୍ରଧାନ ଓ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ, ଗୁଣୁପୁରର ଶ୍ରୀ ମୋହନ ବେହେରା ଉପସ୍ଥିତ ଥିଲେ।ଅତିଥିମାନେ ଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ ଜଳସେଚନ ଯୋଜନା ଓ ପ୍ରକଳ୍ପ ସମ୍ପର୍କରେ ଅବଗତ କରାଇଥିଲେ। ପୃଥିବୀର ତିନିଭାଗ ଜଳ ଥିବା ସତ୍ତ୍ୱେ ଉପଯୁକ୍ତ ପରିଚାଳନା ଅଭାବରୁ ଚାଷୀମାନେ ଆବଶ୍ୟକ ଅନୁଯାୟୀ ପାଣି ପାଇ ପାରୁନାହାନ୍ତି ବୋଲି ସେମାନେ ଉଲ୍ଲେଖ କରିଥିଲେ। ଜଳ ସଂରକ୍ଷଣ ଓ ସୁଚିତ ବ୍ୟବହାର ମାଧ୍ୟମରେ ଚାଷୀଙ୍କ ନିକଟରେ ପାଣି ପହଞ୍ଚାଇବା ପାଇଁ ସରକାର ନିରନ୍ତର ପ୍ରୟାସରତ ବୋଲି ସେମାନେ କହିଥିଲେ।ସୁଶ୍ରୀ ମାଝୀ ତାଙ୍କ ବକ୍ତବ୍ୟରେ ପାଣି ପଞ୍ଚାୟତ ମାଧ୍ୟମରେ ଚାଷୀମାନଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରି ତାଙ୍କ ଅଭିଯୋଗ ଓ ଆବଶ୍ୟକତାକୁ ଗୁରୁତ୍ୱ ସହ ବିଚାର କରିବାର ଆବଶ୍ୟକତା ଉପରେ ଜୋର୍ ଦେଇଥିଲେ। ଚାଷୀଙ୍କ ହିତ ସୁରକ୍ଷା ପାଇଁ ସମସ୍ତଙ୍କ ସାମୂହିକ ପ୍ରୟାସ ଅତ୍ୟାବଶ୍ୟକ ବୋଲି ସେ କହିଥିଲେ।ଏହି ଅବସରରେ ବିଦ୍ୟାଳୟ ସ୍ତରରେ ଆୟୋଜିତ କୁଇଜ୍, ବକ୍ତୃତା, ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀ— ନମିତା ଶବର, ବଜରାଜ ଶବର, ରମାକାନ୍ତ ବେହେରା, ଦେବକୀ ଗୋହିରି, ଆଶୀର୍ବାଦ ଦୋରା, ଲିପି ପୃଷ୍ଟି, କୃଷ୍ଣରାଣୀ ରଣା, ଶ୍ରାବଣୀ ପ୍ରଧାନ, ଶୁଭଶ୍ରୀ ପରିଡା, ଶିରଶା କୁମ୍ଭାର, ଚାନ୍ଦିନୀ ଶବର, ଜଗନ୍ ପାଲକା, ମାନସ ସାମଲ, ସ୍ୱର୍ଣ୍ଣ ରୂପା ମହାପାତ୍ର ଓ ଲିକି ଶବରଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।ଏହି ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀ, ପାଣି ପଞ୍ଚାୟତ ସଦସ୍ୟ ଓ ସରକାରୀ ବିଭାଗମାନଙ୍କ ମଧ୍ୟରେ ସମନ୍ୱୟ ଅଧିକ ସୁଦୃଢ଼ ହେବା ସହ ଆଗାମୀ ଦିନରେ ଜଳ ସଂରକ୍ଷଣ ଓ ସୁଚିତ ବ୍ୟବହାର ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବ ବୋଲି ଆଶା ପ୍ରକାଶ କରାଯାଇଛି।









