ଭଦ୍ରକରେ ବେଆଇନ ଗୋ ଚାଲାଣକାରୀ ସେକ୍ ତାଜୁଦ୍ଦିନ ଓରଫ୍ ରାଜନଙ୍କ ଘରେ କେନ୍ଦୁଝର ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି। ବିଳମ୍ବିତ ରାତିରୁ ଭଦ୍ରକ ପୋଲିସର ସହଯୋଗରେ ଏହି ରେଡ୍ ଆରମ୍ଭ ହୋଇଥିବା ବେଳେ, ସକାଳ ସାଢ଼େ ୧୦ଟା ସୁଦ୍ଧା ପ୍ରାୟ ୭୦ ଲକ୍ଷ ଟଙ୍କା ନଗଦ ଗଣା ସରିଥିବା ନେଇ ଚଢ଼ାଉରେ ସାମିଲ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।ପୋଲିସ ହାତରେ ପୁଳା ପୁଳା ନଗଦ ଟଙ୍କା ସହ ବହୁ ସୁନା ଓ ରୁପା ଗହଣା ମଧ୍ୟ ଲାଗିଛି। ଆଗାମୀ ସମୟରେ ନଗଦ ଟଙ୍କାର ପରିମାଣ ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଏହା ସହ ଘରୁ ବହୁ ମୂଲ୍ୟବାନ ସମ୍ପତ୍ତି ମଧ୍ୟ ପୋଲିସ ଜବତ କରିଛି।

ଘର ବାହାରେ ରହିଥିବା ଦୁଇଟି ସ୍କର୍ପିଓ ଗାଡ଼ିକୁ ମଧ୍ୟ ପୋଲିସ ଯାଞ୍ଚ କରିଛି। ବେଆଇନ ଗୋଚାଲାଣ ମାମଲାରେ ରାଜନ ନାମରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି କେନ୍ଦୁଝର ପୋଲିସ ସ୍କାନରରେ ରାଜନ ଥିବା ବେଳେ ଆଜି ଏହି ବଡ଼ ରେଡ୍ କରାଯାଇଛି।ଏହି ରେଡ୍ ପରେ ଆଜି ବାଇପାସ୍ ଅଞ୍ଚଳରେ ଥିବା ତାଙ୍କର ବ୍ୟବସାୟିକ ପ୍ରତିଷ୍ଠାନ ଓ ଗୋଟିଏ ନର୍ସିଂ କଲେଜରେ ମଧ୍ୟ ଚଢ଼ାଉ କରାଯିବ ବୋଲି କେନ୍ଦୁଝର ପୋଲିସ ପକ୍ଷରୁ ସୂଚନା ମିଳିଛି।୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ, କେନ୍ଦୁଝର ସଦର ଏସ୍ଡିପିଓ ସୁଦର୍ଶନ ଗାଙ୍ଗୋଇଙ୍କ ନେତୃତ୍ୱରେ ପ୍ରାୟ ୧୦ ଜଣ ପୋଲିସ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ମାପଚୁପ୍ କାର୍ଯ୍ୟ ପାଇଁ ପଞ୍ଚାୟତରାଜ ବିଭାଗର କନିଷ୍ଠ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ମଧ୍ୟ ଉପସ୍ଥିତ ରହିଛନ୍ତି।ଏହା ସହ ରାଜନଙ୍କ ନାମରେ ଥିବା ଫିକ୍ସ ଡିପୋଜିଟ୍, LIC, ମ୍ୟୁଚୁଆଲ୍ ଫଣ୍ଡ ଓ ବ୍ୟାଙ୍କ୍ ଲକର୍ଗୁଡ଼ିକର ମଧ୍ୟ ତଦନ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି।







