ରାୟଗଡ଼, ତା. ୨୦.୧.୨୦୨୬ :ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ଳକ ସ୍ତରରେ ଏବଂ ପରେ ଜିଲ୍ଲା ସ୍ତରରେ ବିଭିନ୍ନ ପ୍ରତିଯୋଗିତାମାନଙ୍କ ଆୟୋଜନ ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ ବ୍ଳକ ସ୍ତରୀୟ ପ୍ରତିଯୋଗିତାମାନେ ମଙ୍ଗଳବାର ଦିନ ସ୍ଥାନୀୟ ଗାନ୍ଧୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।


ଏବିଇଓ ଛବିଲାଲ ସିଂଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିଯୋଗିତାରେ ସର୍ବକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ, ପ୍ରବନ୍ଧ ଓ ବକ୍ତୃତା ବିଭାଗରେ ଅଂଶଗ୍ରହଣ କରିଥିଲେ। ଏଥିରେ ୨୮ଟି ଗ୍ରାମ ପଞ୍ଚାୟତ ଓ ରାୟଗଡ଼ ପୌରାଞ୍ଚଳରୁ ମୋଟ ୧୪୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ବ୍ଳକ ସ୍ତରରୁ କୃତି ପ୍ରତିଯୋଗୀମାନେ ଆସନ୍ତା ୨୨ ତାରିଖ ଦିନ ପିଏମ୍ଶ୍ରୀ ଗୋବିନ୍ଦଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଏଡିଇଓ ଭଜନଲାଲ ମାଝୀ ପ୍ରକାଶ କରିଛନ୍ତି।








