ରାୟଗଡା ଜିଲ୍ଲାରେ ପ୍ରଥମଥର ପାଇଁ କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦର ସମସ୍ତ ବ୍ଲକର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ବୈଠକର ଆୟୋଜନ କରାଯାଇ ଜିଲ୍ଲାରେ ଥିବା ସମସ୍ୟାଗୁଡ଼ିକୁ କିପରି ସମ୍ଭାବନାରେ ପରିଣତ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଗଲା । ଉକ୍ତ ବୈଠକରେ ପରିଷଦର ଆଗାମୀ ଯୋଜନା ଓ ଜ଼ିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ଚୟନ ଉପରେ ଆଲୋଚନା ହୋଇଥିଲା । ଜିଲ୍ଲାର ସୁରକ୍ଷା ଓ ଉନ୍ନତି ପାଇଁ ପରିଷଦ ଶତପ୍ରତିଶତ ପ୍ରତିବଦ୍ଧ ହୋଇ ଅଗ୍ରାଧିକାର ଭିତ୍ତିରେ କାମ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମଟି “କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦ” ର ସଭାନେତ୍ରୀ ବିଦୁଲତା ହୁଇକାଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ବେଳେ, ରାୟଗଡ଼ା ଜିଲ୍ଲାର ସମସ୍ତ ୧୧ଟି ବ୍ଲକ୍ରୁ ଅନେକ ସମାଜସେବୀଗଣ ଉପସ୍ଥିତ ଥିଲେ।ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ବରିଷ୍ଠ ସାମ୍ବାଦିକ ଡ଼ା. ବାଦଲ କୁମାର ତା । ସେ ତାଙ୍କ ଉଦବୋଧନରେ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା, ପିଇବା ପାଣି, ରାସ୍ତା ମରାମତି, ନିଶା ନିବାରଣ, ଦାଦନ ଶ୍ରମିକଙ୍କ ସମସ୍ୟା ଏବଂ ନିଜ ଜିଲ୍ଲାରେ କର୍ମନିଯୁକ୍ତି ସୃଷ୍ଟି ଉପରେ ଆଲୋକପାତ କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ଭିବିଜିରାମଜି ଯୋଜନାରୁ କିପରି ଅଧିକ ଲୋକ ଉପକୃତ ହେବେ, ତାହା ପାଇଁ ସଚେତନତା ଆବଶ୍ୟକ।ନାରୀ ସୁରକ୍ଷା, ଚାଷୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ, ଜୈବିକ ପଦ୍ଧତିରେ ଚାଷକୁ ପ୍ରୋତ୍ସାହନ ଏବଂ ସରକାରୀ କର୍ମଚାରୀମାନେ ସାଧାରଣ ଲୋକଙ୍କ କାମ ଠିକ୍ଭାବରେ କରିବାକୁ ପଡିବ ବୋଲି ବିଶେଷ ଆଲୋଚନା କରାଯାଇଥିଲା । ବୁଢ଼ା ବୁଢ଼ୀମାନେ ଭତ୍ତାରୁ ବଞ୍ଚିତ ହେଉଥିବା ନେଇ ମଧ୍ୟ ଗଭୀର ଚିନ୍ତା ପ୍ରକାଶ ପାଇଥିଲା । ରାୟଗଡ଼ା ଜିଲ୍ଲାର ପ୍ରାୟ ୧୦ ହଜାର ବୃଦ୍ଧ ବୃଦ୍ଧା ଭତ୍ତା ପାଇଁ ଆବେଦନ କରି ଅପେକ୍ଷାରେ ରହିଥିବା ସୂଚନା ମିଳିଛି । ଏହା ସହ ଜଙ୍ଗଲରୁ ଅବୈଧ ଗଛ କଟା ଓ ଜଙ୍ଗଲ କ୍ଷୟ ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରାଯାଇଥିଲା ।ସଭାର ମୂଳ ଉଦ୍ଦେଶ୍ୟ ଥିଲା — ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ସରକାରୀ ଯୋଜନାର ସୁବିଧା ପାଇପାରନ୍ତୁ । “ବିକଶିତ ରାୟଗଡ଼ା” ହେଲେ ହିଁ ବିକଶିତ ଓଡ଼ିଶା -୨୦୩୬ ଓ ଭାରତ -୨୦୪୭ ସମ୍ଭବ ବୋଲି ବିଶେଷ ଆଲୋଚ୍ୟ ବିଷୟ ଥିଲା । ଜିଲ୍ଲାର ସମସ୍ତ ବ୍ଲକ୍, ପଞ୍ଚାୟତ ଓ ଗ୍ରାମ ମାନଙ୍କରେ ପରିଷଦର କମିଟିମାନ ଗଠନ କରି ଉଦ୍ଦେଶ୍ୟଗୁଡ଼ିକୁ କାର୍ଯ୍ୟାନ୍ୱୟନ କରାଯିବା ଉପରେ ଅଂଶଗ୍ରହଣକାରୀ ମାନେ ଧ୍ୟାନ ଆକର୍ଷଣ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଜୟ ମିଶ୍ର, ଶ୍ୟାମ କୁମାର ଦାସ, ଜେମ୍ସ ଶବର, ଧରଣୀ ପ୍ରଟିକା, ଅକ୍ଷୟ କୁମାର ପିଡିସିକା, ଦିବାକର ଶବର, ଲକ୍ଷ୍ମୀ ଶବର, ଇଶ୍ଵର ଶବର, ପୁରନ୍ଦର ବନ୍ଥ, ସତ୍ୟ ପ୍ରଟିକା, ଅନିତା ପିଡିକାକା, ବାଳମୁକୁନ୍ଦ ପାଳ, ଜବାବ ପାଲକା, ଅମିତ କୁମାର ପାଢ଼ୀ, ତପନ କାଡ୍ରାକା, ଅନାମ ଚରଣ କୁସୁଲିଆ ଓ ସୁନାମଣି ପ୍ରଟିକା, ବିଦ୍ୟା ପଣ୍ଡା, ବିଦ୍ୟା ସାଗର, ଜାଲଦୁ କଣ୍ଡାଗରି, ସିମାଦ୍ରି ଡୁବୁରୁକା, ସୁନା ମାଝୀ, ପ୍ରଭାକର ଦୋରା, ଅଜୟ ରଥ, କୃଷ୍ଣ ଶବର, ସୀମାଞ୍ଚଳ ନାୟକ ଓ ଅନ୍ୟମାନେ ସହଯୋଗ କରିଥିଲେ ।








