ସେବା ହିଁ ସର୍ବୋଚ୍ଚ ଧର୍ମ… ଏହି କଥାକୁ ଆଜି ସତ କରି ଦେଖାଇଛନ୍ତି ରାୟଗଡ଼ାର ଜଣେ ସାଧାରଣ ମହିଳା। ଯେଉଁଠି ମଣିଷ ନିଜ ସମ୍ପର୍କୀୟଙ୍କୁ ପାଖକୁ ଯିବାକୁ ଡରୁଛି, ସେଠି ସେ ସାଜିଛନ୍ତି ଅଜଣା ଶବର ସାହା।

ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ଆଶା ୱାଂସିକା। ଦରମା ଖୁବ୍ କମ୍, ହେଲେ ହୃଦୟ ବହୁତ ବଡ଼। ସରକାରୀ ଚାକିରୀର ଦାୟିତ୍ୱ ଓ ଘରର ବୋଝ ମଧ୍ୟରେ ସେ ଲେଖୁଛନ୍ତି ମାନବତାର ଏକ ନୂଆ ଇତିହାସ।ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏପର୍ଯ୍ୟନ୍ତ ଆଶା ୨୦୦ ରୁ ଅଧିକ ଅଜଣା ମୃତଦେହଙ୍କର ଶେଷ ସଂସ୍କାର କରିସାରିଲେଣି। ଯେଉଁ ମୃତଦେହଙ୍କର କେହି ସ୍ୱଜନ ନଥାନ୍ତି, ଯାହାଙ୍କୁ ନିଜ ଲୋକ ପର କରିଦିଅନ୍ତି, ସେମାନଙ୍କ ପାଇଁ ଆଶା ସାଜନ୍ତି ପରିବାର। ସମ୍ମାନର ସହ ସେମାନଙ୍କୁ ଶେଷ ବିଦାୟ ଦେବାକୁ ସେ ନିଜର ପବିତ୍ର କର୍ତ୍ତବ୍ୟ ବୋଲି ମନେ କରନ୍ତି।


ଏହି କଠିନ ତଥା ମହାନ କାର୍ଯ୍ୟରେ ଆଶା ଏକା ନୁହନ୍ତି। ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ତାଙ୍କ ସ୍ୱାମୀ, ଟି. ଲୋକେଶ କୁମାର ଏବଂ କିରଣ କଣ୍ଡାଗିରି। ଏହି ଟିମ୍ ମିଳିମିଶି ସମାଜରୁ ଅବହେଳିତ ମଣିଷଙ୍କୁ ମୃତ୍ୟୁ ପରେ ବି ଉଚିତ୍ ସମ୍ମାନ ଦେଉଛନ୍ତି।ଆଶା ୱାଂସିକାଙ୍କ ଏହି ନିଃସ୍ୱାର୍ଥପର ସେବା ଆଜି ସମଗ୍ର ସମାଜ ପାଇଁ ଏକ ବଡ଼ ଦୃଷ୍ଟାନ୍ତ। ସେ ପ୍ରମାଣ କରିଛନ୍ତି ଯେ, ମଣିଷପଣିଆ ବଞ୍ଚି ରହିଲେ ହିଁ ଦୁନିଆ ସୁନ୍ଦର ହେବ। ଆଶାଙ୍କ ଏହି ଜିଜ୍ଞାସା ଏବଂ ମନୋଭାବକୁ ଆମ ସମସ୍ତଙ୍କର ସଲାମ।








