ଭୁବନେଶ୍ୱରର:ରାଜଧାନୀ ଭୁବନେଶ୍ୱରର ପିଏମଜି ଛକରେ ଆଜି ଓଡିଶା ଆଦିବାସୀ ମହାସଂଘ ତରଫରୁ ଏକ ବିରାଟ ଶୋଭାଯାତ୍ରା ସହ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଛି। ରାଜ୍ୟର ୩୦ଟି ଜିଲ୍ଲାରୁ ଆସିଥିବା ଆଦିବାସୀ ପ୍ରତିନିଧିମାନେ ଏହି ଆନ୍ଦୋଳନରେ ଯୋଗଦେଇଥିଲେ।ସୂଚନା ଅନୁଯାୟୀ, ପ୍ରାୟ ୧୦ ହଜାର ଆଦିବାସୀ ଏହି ସମାବେଶରେ ଯୋଗଦେଇ ନିଜମାନଙ୍କର ଜଳ, ଜମି ଓ ଜଙ୍ଗଲ ଉପରେ ପାରମ୍ପରିକ ଅଧିକାର ସୁରକ୍ଷା ପାଇଁ ସ୍ୱର ଉଠାଇଥିଲେ। ବିଶେଷକରି ପିଇଏସଏ (PESA) ଆଇନକୁ ସଠିକ ଭାବେ କାର୍ଯ୍ୟକାରୀ କରିବା ଓ ଆଦିବାସୀ ଅଞ୍ଚଳରେ ସ୍ୱଶାସନ ବ୍ୟବସ୍ଥାକୁ ଶକ୍ତ କରିବା ଦାବୀ ଉଠିଥିଲା।

ଏହା ସହିତ ଆଦିବାସୀ ମହାସଂଘ ପକ୍ଷରୁ ୨୦ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ଓଡିଶା ସରକାରଙ୍କୁ ପ୍ରଦାନ କରାଯାଇଛି। ଏହି ଦାବୀମାନଙ୍କ ମଧ୍ୟରେ ଆଦିବାସୀଙ୍କ ଜମି ସୁରକ୍ଷା, ଜଙ୍ଗଲ ସମ୍ପଦ ଉପରେ ଅଧିକାର ଓ ସ୍ଥାନୀୟ ଲୋକଙ୍କ ସମ୍ମତି ବିନା ଶିଳ୍ପ ପ୍ରକଳ୍ପ ନ ହେବା ପ୍ରମୁଖ ଅଛି।ସମାବେଶରେ ଓଡିଶାର ୬୪ ପ୍ରକାର ଆଦିବାସୀ ଜାତିର ପ୍ରତିନିଧିମାନେ ଯୋଗଦେଇଥିବା ଜଣାପଡ଼ିଛି, ଯାହା ଏହି ଆନ୍ଦୋଳନକୁ ବିଶେଷ ଗୁରୁତ୍ୱ ଦେଇଛି।

ଏହି କାର୍ଯ୍ୟକ୍ରମଟି ସଂଘର ସଭାପତି କାର୍ମା ଲାକ୍ରା ଓ ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା।ଏହି ସମାବେଶରେ ରାୟଗଡା ଶାଖାର ସଭାପତି ବସନ୍ତ କୁମାର ପେଦେଣ୍ଟି ମଧ୍ୟ ଯୋଗଦେଇ ନିଜ ଭାଷଣରେ ରେଗୁଲେସନ ୨/୧୯୫୬ ଧାରା ଉପରେ ଆଲୋକ ପାତ କରିଥିଲେ। ସେ କହିଥିଲେ ଯେ, ଆଦିବାସୀଙ୍କ ଜମିକୁ ଅଣ-ଆଦିବାସୀ ବା ବିଭିନ୍ନ କମ୍ପାନୀ ଠକେଇ କରି ଦଖଳ କରିଥିବା ଘଟଣା ବଢ଼ୁଛି, ଏବଂ ସେହି ଜମିକୁ ଶୀଘ୍ର ଫେରସ୍ତ କରାଯିବା ଆବଶ୍ୟକ।ଏହି ବିରାଟ ଆନ୍ଦୋଳନ ମାଧ୍ୟମରେ ଆଦିବାସୀ ସମାଜ ତାଙ୍କର ଅଧିକାର ପାଇଁ ଏକତା ଓ ସଚେତନତାର ଦୃଢ ସନ୍ଦେଶ ଦେଇଛନ୍ତି








